
ଭୁବନେଶ୍ୱର : କରୋନା ପରିସ୍ଥିତିରେ ଭୁବନେଶ୍ୱର ଏବେ ବି ଅନ୍ୟ ସହରଗୁଡ଼ିକ ଅପେକ୍ଷା ସୁରକ୍ଷିତ ଅଛି ବୋଲି ବିଏମ୍ସି କମିସନର୍ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି। ଭୁବନେଶ୍ବର ସୁରକ୍ଷିତ ବୋଲି ସେରୋ ସର୍ଭେଲାନ୍ସ ରିପୋର୍ଟକୁ ଆଧାର କରି କମିସନର୍ କହିଛନ୍ତି। ବିଭିନ୍ନ ସହର ତୁଳନାରେ ଭୁବନେଶ୍ବରରେ ବହୁ କମ୍ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବାରୁ ଏଠାରେ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇନାହାନ୍ତି। ବିଭିନ୍ନ ସହରରେ ଆଇସିଏମ୍ଆର୍ ପକ୍ଷରୁ ହୋଇଥିବା ସେରୋସର୍ଭେକୁ ଭିତ୍ତି କରି କମିସନର୍ ଏହି କଥା କହିଛନ୍ତି। କମିସନରଙ୍କ ନଜରରେ ଭୁବନେଶ୍ବରରେ ଯେତିକି ସୁରକ୍ଷିତ ଅଛି ବୋଲି କୁହାଯାଉଛି, ପ୍ରକୃତରେ ଭୁବନେଶ୍ବର ସେତିକି ସୁରକ୍ଷିତ ନାହିଁ।
ବିଭିନ୍ନ ସହରର ସେରୋ ସର୍ଭେଲାନ୍ସ ରିପୋର୍ଟକୁ କମିସନର ଉପସ୍ଥାପନ କରି କହିଲେ, ବ୍ରହ୍ମପୁରରେ ୩୧%, ପୁଣେରେ ୩୫%, ମୁମ୍ବାଇରେ ୪୦%, ମୁମ୍ବାଇର ବସ୍ତି ଅଞ୍ଚଳରେ ୫୫%, ଦିଲ୍ଲୀରେ ୨୯%, ଅହମ୍ମଦାବାଦରେ ୨୦%, ଯୋଧପୁର, ପଞ୍ଜାବ, ଅମୃତସର ଭଳି ସହରରେ ୨୦ରୁ ୪୦% ଲୋକଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି। ଅର୍ଥାତ୍ ଏତିକି ପ୍ରତିଶତ ଲୋକ କରୋନା ଦ୍ବାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଛନ୍ତି। କିନ୍ତୁ ସେମାନଙ୍କୁ କରୋନା ହୋଇଥିଲା ବୋଲି ସେମାନେ ଜାଣି ନାହାନ୍ତି। ବିନା ଚିକିତ୍ସାରେ ସୁସ୍ଥ ହୋଇଯାଇଛନ୍ତି। ଏହି ତୁଳନାରେ ଭୁବନେଶ୍ବରରେ ୧.୨୪% ଲୋକଙ୍କର ଆଣ୍ଟିବଡି ବିକଶିତ ହୋଇଛି। ତେଣୁ ଭୁବନେଶ୍ବର ଅନ୍ୟ ସହରଗୁଡ଼ିକ ତୁଳନାରେ ସୁରକ୍ଷିତ।
କମିସନର ଚତୁରତାର ସହ ଯେଉଁ ତଥ୍ୟ ଉପସ୍ଥାପନ କଲେ, ସେଥିରେ ବହୁ ଜିନିଷ ଲୁଚାଯାଇଛି। ଅସଲରେ ଭୁବନେଶ୍ବରରେ ଜୁଲାଇ ମାସରେ ସେରୋସର୍ଭେ ହୋଇଥିଲା। ଆର୍ଏମ୍ଆର୍ସି କର୍ତ୍ତୃପକ୍ଷ କହିଥିଲେ ଯେ ଜୁନ୍ ମାସର ସ୍ଥିତି ଏଥିରୁ ଜଣାପଡ଼ିଥିଲା। ଜୁନ୍ ମାସରେ ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ହୋଇନଥିଲା କି ଆକ୍ରାନ୍ତଙ୍କ ସଂଖ୍ୟା ଏମିତି ବଢ଼ୁନଥିଲା। ଶରୀରରେ ଆଣ୍ଟିବଡି ବିକଶିତ ହେବାକୁ ତିନିରୁ ଚାରି ସପ୍ତାହ ଲାଗୁଥିବାରୁ ଏଥିରେ ବର୍ତ୍ତମାନର ସ୍ଥିତି ଜଣାପଡ଼ିନି। ଯଦି ସେରୋଲୋଜିକାଲ୍ ସର୍ଭେରେ ମାସକ ତଳର ସ୍ଥିତି ଜଣାପଡ଼େ, ତେବେ ବିଏମ୍ସି କମିସନର୍ କେଉଁ ହିସାବରେ ଅଗଷ୍ଟ ଶେଷରେ ଜୁନ୍ ମାସର ସ୍ଥିତିକୁ ନେଇ ଜୁଲାଇ ମାସରେ ପ୍ରକାଶ ପାଇଥିବା ରିପୋର୍ଟକୁ ଭିତ୍ତି କରି କହିଦେଲେ ଯେ ଭୁବନେଶ୍ବର ଏବେ କରୋନା ଦୃଷ୍ଟିକୋଣରୁ ସୁରକ୍ଷିତ। କେବଳ ଏତିକି ନୁହେଁ, ବିଏମ୍ସି କମିସନର୍ ଯେଉଁ ବ୍ରହ୍ମପୁର, ମୁମ୍ବାଇ, ପୁଣେ, ଦିଲ୍ଲୀ ଭଳି ସହରର ଉଦାହରଣ ଦେଲେ ସେଗୁଡ଼ିକର ସେରୋସର୍ଭେ ରିପୋର୍ଟ ଜୁଲାଇ ମାସକୁ ଭିତ୍ତି କରି ନିକଟରେ ଆସିଛି। ଏହି ସବୁ ସହରରେ ଜୁଲାଇରେ କରୋନା ଉପରମୁହାଁ ଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ିଥିଲା। ତେଣୁ ଅଗଷ୍ଟରେ ଯେଉଁ ରିପୋର୍ଟ ଆସିଲା, ତାହା ସ୍ବାଭାବିକ ଅଧିକ ରହିବ। ବ୍ରହ୍ମପୁର ସମେତ ଉପରୋକ୍ତ ସହରଗୁଡ଼ିକରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଭୁବନେଶ୍ବରରେ ଉପରମୁହାଁ ହୋଇଛି। କମିସନରଙ୍କ ଆକଳନ ଅନୁଯାୟୀ, ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ। ଏହାପରେ କମିବାର ସମ୍ଭାବନା ଅଛି। ଏବେ ଭୁବନେଶ୍ବରରେ ଦିନକୁ ପ୍ରାୟ ୩୦୦ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କିପରି ଭୁବନେଶ୍ବର କରୋନା ଦୃଷ୍ଟିକୋଣରୁ ସୁରକ୍ଷିତ ତାହା ଅନେକଙ୍କୁ ଚକିତ କରିଛି।
from କରୋନା – Sambad https://ift.tt/3aMuj7g
0 Comments